Select Page

ଦାରିଙ୍ଗବାଡି, ୨୩/୦୯: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ହତିମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ତାମାଙ୍ଗି କୁମ୍ଭୀର ପଦର ଗ୍ରାମକୁ ଲାଗି ରହିଥିବା ପାହାଡ଼ରେ ଭୁସ୍ଖଳନ ହୋଇଛି । ଗ୍ରାମବାସୀ ଏହାକୁ ନେଇ ଆତଙ୍କିତ ଅବସ୍ଥାରେ ଥିବା ଜଣାପଡ଼ିଛି। ଖବର ପାଇ ଦାରିଙ୍ଗବାଡ଼ି ଅତିରିକ୍ତ ତହସିଲଦାର ଭାବେଷ ମାଝୀ ବ୍ରାହ୍ମଣୀଗାଁ ରାଜସ୍ୱ ନିରୀକ୍ଷକ ରଞ୍ଜିତ କୁମାର କହଁରଙ୍କ ସମେତ ତହସିଲ କାର୍ଯ୍ୟାଳୟର କିଛି କର୍ମଚାରୀ ଘଟଣା ସ୍ଥଳକୁ ଯାଇ ସ୍ଥିତିର ଅନୁଧ୍ୟାନ କରି ଫେରିଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ ଚଳିତ ଲଗାଣ ବର୍ଷାରେ ଗାଁ ମୁଣ୍ଡରେ ଋଷିମାଳ ପାହାଡ଼କୁ ଲାଗି ରହିଥିବା ପାହାଡ଼ରେ ଭୁସ୍ଖଳନ ଦେଖାଦେଇଛି । ଗତ ବର୍ଷ ମଧ୍ୟ ସେହି ସମାନ ଜାଗାରେ ଭୁସ୍ଖଳନ ହୋଇଥିବା ନେଇ ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ପ୍ରଶାସନ ପକ୍ଷରୁ ଆଜି ଯାଏ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିବା ନେଇ ଗ୍ରାମବାସୀ କହିଛନ୍ତି। ଏହି ବର୍ଷ ଅଧିକ ମାତ୍ରାରେ ଭୁସ୍ଖଳନ ହୋଇଛି । ଫଳରେ ଗ୍ରାମବାସୀ ଆତଙ୍କିତ ହୋଇ ପଡିଛନ୍ତି। ପାହାଡ଼ ମୁଣ୍ଡରୁ ପ୍ରାୟ ଏକ କିମି ପାହାଡ଼ ଧସି ଯାଇ ଥିବାବେଳେ ଅଧ କିମି ରାସ୍ତା ବିଚ୍ଛିନ୍ନ ହୋଇଛି । ଯାହା ଫଳରେ ସେହି ରାସ୍ତା ଦେଇ କାଟିଙ୍ଗିଆ, ପଣସ ପଦର, ଗଞ୍ଜାମ ଜିଲ୍ଲାର ସଲିମା ଗୋଛାକୁ ଯାତାୟାତ ବନ୍ଦ ରହିଛି । ଗ୍ରାମକୁ ପାନୀୟ ଜଳ ଯୋଗାଣ ପାଇପ ବିଚ୍ଛେଦ ହୋଇଛି । ସ୍ଥାନେ ସ୍ଥାନେ ପାହାଡ଼ରେ ଗର୍ତ ସୃଷ୍ଟି ହୋଇଛି। ତୁହାକୁ ତୁହା ବର୍ଷା ଲାଗି ରହୁଥିବାରୁ ବିପଦ ଆଶଙ୍କା ବଢ଼ିବାରେ ଲାଗିଛି।

ଏଣୁ ଗ୍ରାମବାସୀ ସମ୍ପୂର୍ଣ୍ଣ ଭୟଭୀତ ଥିବା ବେଳେ ପ୍ରଶାସନ ପଦକ୍ଷେପକୁ ଅନାଇ ବସିଛନ୍ତି । ତୁରନ୍ତ ପଦକ୍ଷେପ ନନେଲେ କେତେବେଳେ ଯେ ଏହି ଗ୍ରାମ ଭୂପୃଷ୍ଠରୁ ଲୀନ ହୋଇଯିବ ତାହା କହି ହେଉନି । କେବଳ ପାହାଡ଼ରେ ଭୁସ୍ଖଳନ ସୀମିତ ରହିନାହିଁ । ମେରାମା ଛକ ଠାରୁ ତାମାଙ୍ଗି ଯିବା ଘାଟି ରାସ୍ତାର ବିଭିନ୍ନ ସ୍ଥାନରେ ଭୁସ୍ଖଳନ ହୋଇଥିବା ହେତୁ ଫୁଲବାଣୀରୁ ହତିମୁଣ୍ଡାକୁ ଯାତାୟାତ କରୁଥିବା ସରକାରୀ ବସ ଚଳାଚଳ ଗତ କିଛିଦିନ ହେଲା ବନ୍ଦ ରହିଥିବା ଜଣାପଡ଼ିଛି । ଏଣୁ ତୁରନ୍ତ ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ସମସ୍ତ ଗ୍ରାମବାସୀ ନିବେଦନ କରିଛନ୍ତି।